Unknown

 

 

 

 

 

 

 

 

 

ହାଣ୍ତିଶାଳର ବିପ୍ଳବ

ଗୋଦାବରୀଶ ମହାପାତ୍ର

 

ଜୀବନ ସଙ୍ଗିନୀ ମୋର ପରାଣ ପ୍ରେୟସୀ

କହିଲେ ମୋ କର ଧରି ଦିନେ ହସି ହସି

ନେବ ନାଇଁ ସିନେମାରେ ? କହିଲି ମୁଁ ତା’ରେ

ତୁମ ଅନୁରୋଧ, ସହି, ତଳେ ପଡ଼ିପାରେ ?

ହେଲେ ରିକ୍‌ସା-ସମାସୀନା ମୋ ପ୍ରାଣସଜନୀ

ଝରଣା-ଶାଢ଼ିକି ଶିରେ ଦେଢ଼ଫୁଟ ଟାଣି ।

ବସି ପାଶେ ଅନୁନୟେ କହିଲି, ଗୋ ପ୍ରିୟେ,

ଏତେ ଲଜ୍ଜା ରଖି ଦାଣ୍ତେ ଆସିବା କି ହୁଏ ?

କି ବୋଲିବେ ସଖାଗଣ ଦେଖିଲେ ଏ ପଥେ

ଚାହିଁ ଥରେ ମୁହଁ ଟେକି ବିଶାଳ ଜଗତେ ।

ଜଗତଟା ନୁହେଁ ତୁମ ହାଣ୍ତିଶାଳ, ସହି,

ନ ପାରିବ ଯେବେ, ଘରେ ଫେରିଯାଏ ମୁହିଁ !

ଦିନେ ଗଲା, ଦୁଇଦିନ, ଗଲା ଦିନ ସାତ,

ଟ୍ରେନିଂ ପାଇଲେ ମୋର ଜୀବନ-ସଙ୍ଗୀତ ।

ଧୀରେ ଧୀରେ ଦେଢ଼ଫୁଟ ମେଘ ଗଲା ଉଠି

ବଦନଚନ୍ଦ୍ରମା ପଧେ ଉଠିଲା ଉକୁଟି ।

 

ମାସେ ଗଲା, ଦୁଇମାସ ପରେ ଦିନେ ସହୀ

କନକପୃଷ୍ଠରେ କଳା ବେଣା ଚହଲାଇ

କହିଲେ କି, ସିନେମାକୁ ଯିବ ନାହିଁ ତୁମେ ?

ରିକ୍‌ସା ଆସି ଦ୍ୱାରେ ଏବେ, ବେଗେ କ କଥା ଶୁଣେ !

ତୁମେ ଏକାକିନା ?- ପଚାରିଲି ଚାହିଁ;

କ୍ଷଣେ ହସି କହିଲେ ସେ- ଭୟ ଲାଗେ ନାହିଁ ।

ତୁଲେ ମୋର ଯିବେ ତୁମ ବନ୍ଧୁ ସନାତନ,

ପିଲାଟା କାନ୍ଦିଲେ ଘରେ ନେବଟି ଯତନ ।

 

ସମାଧାନ

 

ପଙ୍କଜର ପଡ଼ିଶାଘର ତଫାତ୍‌ହାତ ପନ୍ଦର

ଦୁଇ ଘରକୁ ଦୁଇଟି ଥିଲା କେବଳ ଛୋଟ ପଞ୍ଜର ।

ସେ ଘରେ ଥିଲା ଗୋଟିଏ ଝିଅ ନାଆଁଟି ତାର ମଞ୍ଜରୀ

ଗାଇଲେ ଗୀତ ମନରେ ଆସେ, ଭ୍ରମର ଉଠେ ଗୁଞ୍ଜରି !

ପଙ୍କଜର କଲେଜପଢ଼ା, ଛାତରେ ଉଠେ ସଞ୍ଜରେ

ଦକ୍ଷତା ସେ ଅର୍ଜିଥିଲା ଗୋପାଳକୃଷ୍ଣ-ଭଞ୍ଜରେ ।

କଲେଜ ପଢ଼ି, ସିତାର୍‌ଧରି ପଡ଼ିଶାଘର ନନ୍ଦିନୀ

କେବେ ବା ଥରେ ଛାତରେ ଉଠେ ହୋଇଲେ ମଧୁଚାନ୍ଦିନୀ ।

ବହୁକାଳରେ ଦୁଇଟି ଘରେ ହୋଇଲେ କେତେ ହର୍ବର

ମାମଲା କରି ଦୁଇ ମୁରବି ହୋଇଲେ କେତେ ହର୍ବର ।

ଜିଣିଲେ କିଏ କଚେରି ଘରେ, ଜିଣଇ କିଏ ଦାଣ୍ତରେ,

ଲାଗିଲା କେତେ ଯୁଦ୍ଧ ହାତେ, କାଳିକଲମେ, ତୁଣ୍ତରେ ।

ମଞ୍ଜରୀର ରୁମାଲ ଦିନେ ପଙ୍କଜର ପକ୍‌କାରେ

ଉଡ଼ି ଲାଗିଲା ଚଇତି ମେଘ ଘୂର୍ଣ୍ଣିବାୟୁ ଧକ୍‌କାରେ ।

ସେ ପାଖେ ତେଣେ ପଙ୍କଜର ଚିତ୍ତ ଥିଲା ତଦ୍‌ଗତ-

କାହା ପାଖକୁ ଚିଟାଉ ଲେଖି ପଠାଇବାକୁ ଉଦ୍ୟତ ।

ମୁହଁ ଟେକି ଏ ଚାହିଁଲା ତେଣେ ମୁହଁ ସେ ପୋତେ ସଳ୍ଲଜେ

ହସି ନପାରି ହସାଇଦେଲା ପଡ଼ିଶାଘର ପଙ୍କଜେ ।

ଦି’ଦିନ ପରେ ଦୁଇଟି ଘରେ ପଡ଼ିଲା ଘୋର ସଙ୍କଟ-

ପଙ୍କଜ ଓ ମଞ୍ଜରୀ ଯେ କୁଆଡ଼େ ଦେଲେ ଚମ୍ପଟ ।

କହଇ ଜଣେ, ତୋ ପୁଅଲାଗି

ଧନ ମୋ ହେଲା ଅନ୍ତର

ବଖାଣେ ଆନ-ମୋ ପୁଅକାନେ

ତୋ ଝିଅ ଦେଲା ମନ୍ତର ।

ଖୋଜିଲେ କେତେ କୂଅ ପୋଖରୀ,

ପାଇଲେ ନାହିଁ ସଙ୍କେତ

ଖୋଜିଲେ ରେଳଇଷ୍ଟେସନ, ଦୁଇ ମୁରବି ଚିନ୍ତିତ ।

ପଙ୍କଜ ଓ ମଞ୍ଜରୀର ହସ୍ତାକ୍ଷର ଅଙ୍କିତ-

ଅଇଲା ଚିଠି ମାସକ ପରେ, ମୁରବି ଦୁଇ ଶଂକିତ

ଦୁହିଁକି ଦୁହେଁ ରହିଲେ ଚାହିଁ, ବିଦାଦ ହେଲା ଖଣ୍ତନ,

ଏ ଘର ପୁଅ ସେ ଘର ଝିଅ ବଂଶ କଲେ ମଣ୍ତନ ।

 

ବୋହୂମାନଙ୍କ ସତ୍ୟାଗ୍ରହ

 

ଆସ ଗୋ ସଙ୍ଗାତ ମୋର ଆସ ବଉଳ,

ଗାଆଁଯାକ ବୋହୂ ଆସି ହେଲେଣି ଠୁଳ ।

ବାରଟା ବାଜିଲା ଏବେ, ବସିବ ସଭା,

ବେଗେ ଆସ, ପଛେ ବସି ଗୁନ୍ଥିବ ଗଭା ।

ଆସ ହେମଲତା, ଆସ ସବିତା, ସୀମା,

ଆସ ଗୋ କନକବାଳା, ଆସ ଉପମା ।

ଶାଶୁ-ନଣନ୍ଦଙ୍କୁ ଯେବେ ଏଡ଼ିକି ଭୟ

ବାରଟାକୁ ଦେଲ କିଆଁ ସଭା ସମୟ ?

ଏଡ଼ି ନ ପାରୁଚ ଯେବେ ବୁଢ଼ୀ ବଚନ,

ମୋଡ଼ି ନ ପାରୁଚ ଯେବେ ନ ପାର ଛାଡ଼ି,

ଶାଗ ତ ସିଝିବ ନାହିଁ ହାତେ ତୁମରି !

ସଭାରେ ପଡ଼ିବ ଆଜି ହୋଇଛି କଥା ।

କେତେ ବୋହୂଙ୍କର ହୁଏ ପିଠିକି ବଥା

ନିତି କରି ଘରକାମ, ଭାଜିଲା ବଳ,

ଶାଶୁ ଖାଲି ବସିଖାଏ - କି ହେଲା କାଳ

ଧୋବଲୁଗା ମଳି ହୂଏ ବସିଲେ ତଳେ ।

ପିଢ଼ା ଖଣ୍ତେ ନାଇଁ କେଉଁ ବୋହୂ କପାଳେ ।

ପଖାଳ ଖାଇବା କଥା ହୋଇବ ମନା

ଖାଇଲେ ଖାଆନ୍ତୁ ପଛେ ପିଲାଙ୍କ ନନା ।

ଜଡ଼ାତେଲେ କାମ ଆଉ ଚଳିବ ନାଇଁ,

ସଭାରେ ପଡ଼ିବ କଥା ଅତର ପାଇଁ ।

ହଳଦୀକାଠୁଆ ସବୁ ହୋଇବ ପୋଡ଼ା

ଗାଧୁଆବେଳକୁ ଖାଲି ସାବୁନ୍‌ଲୋଡ଼ା ।

ପୁରୂଣାକାଳିଆ ବୁଢ଼ୀ, ଜାଆ, ନଣନ୍ଦ-

କାହାକୁ କରିବ ଯେବେ ଏ କଥା ଗନ୍ଧ

ତାଙ୍କ ପାଇଁ ଦଣ୍ତ ଥୁଆ - ରାନ୍ଧିବେ ଭାତ,

ବୋହୂଏ ନ ଦେବେ ଆଉ କାହିଁରେ ହାତ ।

ଆହୁରି କଥାଏ ଅଛି, ଆସ ଚଞ୍ଚଳ,

ପିଲାଙ୍କୁ ପାଳିବା ନେଇ ଲାଗିବ ଗୋଳ ।

ସବୁ ବୋହୂ ମିଳିମିଶି ଧରିବା ଟାଣ

ଆମେ କି ହୋଇଚେ ଖାଲି କାଠ ପାଷାଣ ?

ଓକିଲ ଧଇଲେ ଆମେ, ପିଲାଙ୍କ ନନା

ଆରଓଳି ଧରିବାକୁ କଲା କେ ମନା ?

ଭାଗ ବାଣ୍ଟି ପିଲା ପାଳି କରିବା ଘର ।

କିଏ ସେ ଆପଣା ଅବା କିଏ ସେ ପର ?

ଏକଥା ନ ହେବ ଯେବେ ନ ହେଉ କିଛି

କାହା ଓଳିତଳେ ଅବା କିଏ ପଡ଼ିଛି ?

ମେଳ ଥିଲେ ଚମକାଇ ଦେବା ଏ ଗାଆଁ

ଦେଖିବା କିଏସେ ହେବ କାହାକୁ ସାହା ।

ଘରେ ଘରେ ଚୁଲି ଆଉ ନ ହେବ ଜଳା,

ବାଧିଲେ ବାଧିବ, ରହିଯିବା ନିର୍ଜଳା ।

ଛାଞ୍ଚୁଣି ପଡ଼ିବ ଖାଲି, ନଧରି କେହି

ବାସିଶେଯେ ଦିନଯାକ ପଡ଼ିବା ରହି ।

କାନ୍ଦିଲେ କାନ୍ଦିବ ପିଲା, ରାଗିଲେ ରାଗି

ଘରଲୋକ ଯିବେ ଫେରିୁ ଭୋଜନ ମାଗି ।

ଆମ କଥା ନ ହେଲେ ତ ଉଠିବା ନାଇଁ

ସବୁ ଭାର କଣ ଥୁଆ ଆମରି ପାଇଁ ?

ଶାଶୁ, ସ୍ୱାମୀ, ନଣନ୍ଦର ଏ ଅତ୍ୟାଚାର

କେତେ କାଳ ସହି ଆଉ କରିବା ଘର ?

ଅଚଳ-ଅବସ୍ଥା ସୃଷ୍ଟି କରିବା ଚାଲ -

ସ୍ୱରାଜ ଆମକୁ ଲୋଡ଼ା - ବେଗେ ବାହାର ।

 

ଓଡ଼ିଆ ଘରର ଡିକ୍‌ଟେଟର୍‌

 

ଗଛ ଡାଳେ କୁଆ ବସି ଦେଲାଣି ଡାକ

ନିଦ ଭାଜୁନାଇଁ ଶୋଇ ରାତିଟାଯାକ !

ଉଠ ଆଲୋ, ଟଭୀ-ବୋଉ, ଉଠ ଚଞ୍ଚଳା

ଏଡ଼େ ଅଳସୋଈ ମୋର କପାଳେ ଥିଲା !

ଗରା ଧରି କୂଅମୂଳେ ଗଲା ସେବତୀ,

ତୁମ ପାଇଁ ଅଛି ପୁଣି ଆଉରି ରାତି !

ଫିଟା ଗୋ କବାଟ, ଏବେ ହେଲାଣି ବେଳ,

ଧାନ ବୁଣିବାକୁ ନେବ ହରିଆ ହଳ ।

ନ ହେଉ ଘଡ଼ିଏ ବେଳ ରଡ଼ିବ ପିଲା,

କେତେ ମୁଁ ଡାକିବି ସତେ କହ ଗୋ ଭଲା ।

କୁହୁଳାଇ ଦେଲେ ଚୁଲି ଫୁଟିବ ଖୁଦ

କେତେବେଳେ ଭାଜିବ ଲୋ ଗହମ ନିଦ ?

ଗାଆଁ ପିଲେ ପୋଖରୀରେ ହେବେଣି ଜମା

ଏଇ ପାଟି ଶୁଭିଲାଣି, ଗଲାଣି ରମା ।

ରଙ୍ଗଫୁଲ ପାଖୁଡ଼ାଏ ପାଇବି କାହୁଁ ?

ପୋଡ଼ା କପାଳକୁ ସତେ ଇମିତି ବୋହୂ ?

ତୋଟିକି ନ ଚିପି ମାଆ ରଖିଲା ଯାହା

ମୋ ପାଇଁ ତୁ କାହିଁ ଥିଲୁ ଏଡ଼େ ବଢ଼ିଆ ?

ଉଠ ଲୋ, ଉଠ ଲୋ ଏବେ ପଡ଼ିଲା ଖରା -

କେତେ ବାଢ଼ିବସିବି ମୁଁ ଗୁଣପସରା ?

କାହାକୁ କହିବି କହ ଆପଣା କଥା

ଘରଲୋକ ନ କଲା ଗୋ ତା ଘର ଚିନ୍ତା ।

ଲକ୍ଷ୍ମୀ ଯିବେ ଛାଡ଼ି ସିନା, ମାଗିବ ଭିକ

ଓଳିଆ ନ ହୋଇ ଅଛି ଘରଟା ଯାକ ।

ଜଗି ଜଗି ଘରଦ୍ୱାର ହେଲିଣି ବୁଢ଼ୀ

ତୁମ ଘର ସିନା ତୁମେ ରଖିବ ମାଡ଼ି ।

ମଲେ କିବା ବୋହିନେବି ? କହିବ ଖାଲି -

ବୁଢ଼ୀ ଥିଲା କହୁଥିଲା, ନିତି ଧିକାରି ।

ହାତପାପୁଲିରୁ ଲୁହ ଶୁଖିବ ନାଇଁ

ତୁମେ ସିନା ଦୁଃଖ, ଆଗୋ, ପାଇବ ଥାଇ ।

ଉଠ ଗୋ, ପହରେ ହେଲା ଗଲାଣି ରାତି -

କାହା ଘରେ ପଡ଼ିଛି ଗୋ ବାସିଆଡ଼ିତି !!

 

ପାନିଆ ଗୋ !

 

ପାନିଆ ଗୋ ! ଉତ୍‌କଳର କୁଳବାଳା ସଖି;

ଏଡ଼େ କଥା ତୁମ ଭାଗ୍ୟେ କିଏ ଥିଲା ଲେଖି ?

କୁଂଚିତ କୁନ୍ତଳା କର କୋମଳ ପରଶେ

ବରଜି ଯାଉଛ; ଯହିଁ ରଣଚଣ୍ତୀ ହସେ !

ଚରଣ ଅଳତା, ପୁଣି କବରୀ କୁସୁମ,

ଲଜ୍ଜା- ପାଟଳିତ ବଧୂ ଅଧର ବଚନ,

କଲେଜ କୁମର କମ୍ର ବକ୍ଷ-ପକେଟରେ

ଭୁଲିଯିବ କଂକତିକେ ! କାହିଁ କେତେ ଦୂରେ ।

ତୁମ ବିନେ ଯାହାଙ୍କୁ ଗୋ ଦିନ ହୁଏ ରାତି -

ଓଡ଼ିଶାର ଲକ୍ଷ ଲକ୍ଷ ଯୁବକ ଯୁବତୀ

କି ଭଳି କାଟିବେ କାଳ, ନ ପାରେ ମୁଁ ଭାଳି,

ଏକମାତ୍ର ସାହା ହେବେ କ୍ଷୁର ଓ କତୁରି !

ଭୀରୁ ଏ ଓଡ଼ିଶା ଦେଶ ମଣିଲ କି ସହି,

ଓଢ଼ଣା ଗହଳୁ ଯାଅ ଆଗଭର ହୋଇ ।

ତୁମ ନାରୀଗତ-ପ୍ରାଣେ ନାହିଁ କି ଗୋ ଡର,

ଚାଲେ ତହିଁ ଟ୍ୟାଙ୍କ, ବୋମା, ଟର୍‌ପେଡ଼ ଦୁର୍ବାର !

ସୁଦୂର ମାଳୟ-ପଥେ, ବର୍ମା ବନ ତଳେ,

ସିରିଆ ସିକତା ସିଦ୍ଧୁ ବକ୍ଷେ ନିଆଁ ଜଳେ ।

ଅୟି ଦନ୍ତବତି, ତୁମେ କେଶ-ବିନୋଦିନୀ,

ପରବ ବୀର ଶିରେ ବେଳକାଳ ଜାଣି ।

ଫେରିବ କି ଆଉ ସତେ ? ନ ଆସେ ମୋ ମନେ,

ପଡ଼ି ଲୁଚିଯିବ କେଉଁ ସମର-ପ୍ରାଙ୍ଗଣେ !

କେଉଁ ଜନପଦେ, ଅବା ସାଗର ପୁଲିନେ

କାହା କ୍ଲାନ୍ତ କରୁ ସଖି, ଖସିଯିବ ଦିନେ !!

ଅଥବା ରାଇନ୍ କୂଳେ, ଭଲ୍‌ଗା ନଦୀ ତୀରେ,

ଇବାବତୀ ଉପତ୍ୟକା ବିଜନ ପ୍ରାନ୍ତରେ,

ଥେମସ୍‌ଲହରେ କିବା କକେସସ-ପଥେ

କେଉଁ ବୀର ଶିର ଛୁଇଁ ଯିବ ଅଜାଣତେ ।

କେହି କି ଜାଣିବେ ତୁମେ ଅଟ କାହା ବାଳା,

ଉକୁଟିଛି ତୁମ ଦେହେ କାହା କାରୁକଳା !

ଆରବ, ରୁଷିଆ ଅବା ଚୀନ ସଭା ତଳେ

ତୁମ ମହିମା କି କେହି ଗାଇବ ଗୋ ହେଳେ ?

ପାଇବେ ତୁମକୁ ଅବା ବେଦୁଇନ୍‌-ବାଳା,

ଦୂର ପ୍ରାଚ୍ୟ ବେଳାତଳେ ମାଳୟ-ମହିଳା ।

ପରାଣର ପ୍ରିୟତମ ସ୍ପର୍ଶ ସୁଖ ମଣି

ତୁମକୁ ସେ କରିବେ ବା ନିଜ ମଥାମଣି ।

କହିବ ଗୋ କଂକତିକେ ! ମନେ ଯଦି ଆସେ -

ପେଶିଛନ୍ତି ଗଜଗର ତୁମକୁ ସେ ଦେଶେ ।

ଉତ୍କଳ କାରିଗର କର-ପରଶରେ !

କି ଭଳି ଲଭିଲ ଜନ୍ମ ଯିବାକୁ ସମରେ ।

ତବ ଜନ୍ମଗତ ଖ୍ୟାତି ବିଶ୍ୱେ ଅଛି ରହି -

ଜଟିଲାକୁ ସୁସରଳା କରିପାର ସହି !

ବାରେ ମୋ ଅପତ୍ନ କେଶେ ଦିଅ ଗୋ ଚୁମ୍ବନ

ମିଶ୍ର-ମହାରାଜା-ମିଆଁ-ପ୍ୟାରୀ ପ୍ରାଣଧନ !

 

ଆମରି ଗାଁର ବୋହୂ

ପ୍ରାଚୀନା-

 

ଆଗରେ ଥମିଲା ଚରଣ ଗତି

କାହାର କୁମାରୀ କଜ୍ଜାବତୀ,

ଚାହିଁ ସେ ନ ଚାହେଁ, ବଦନ ପୋତି

ନୂତନ ବସନେ ସାଜେ;

ନାଚେ ଥରି ଥରି ଦୀପାଳିଶିଖା

ଉଷା, ସୁକୁମାରୀ, ଲତିକା, ରେଖା,

କର ଧରି ନେବେ ଦେଲେଣି ଦେଖା

ଅଳପ ମଧୁର ଲାଜେ ।

ନବ ତରୁଣ ସେ ନୂତନ ବଧୂ

ଲୁଚାଇ ରଖିଛି ବଦନ-ବିଧୁ,

ଅନ୍ତରେ ତାର ପ୍ରଣୟ-ମଧୁ

ପରାଣ-ଦେବତା ପାଇଁ;

ପୁରୁଣା ତଳେ ତା ଲୋଚନ ଦୁଇ

ଅଧାରେ ମୁଦିଛି ଚାହିଁବା ପାଇଁ,

ଅଧର-ଜବାରେ ଚମକ ନାଇଁ ।

ବହୁଛି ବଦନୁ ଝାଳ ।

ଏ କାଳେ ପଡ଼ିଲା ଚହଳ ଖାଲି

ଅବଳା ଗହଳେ କି ହୁଳହୁଳି !

ହସ ଖିଲ୍‌ଖିଲ୍‌, ଚିପା ଟାହୁଲି,

ଚହଲିଲା ମଫ୍‌ସଲ ।

କହିଳା କିଏସେ ‘‘ଆଣ ଗୋ ବରି

ନବ ସୁକୁମାରୀ କନକଗୋରୀ,

ଦୂରରୁ ନ ହୁଏ ବଦନ ବାରି,

ଓଢ଼ଣା ଟିକିଏ ଟେକ ।’’

କେ ସମବୟସୀ ଅଳପ ହସି;

ତୁଚ୍ଛାରେ ଥରକୁ ଦି’ଥର କାଶି

କନକ-କରେ ତା ଦିଏ ଆଉଁଶି

ଅନରେ ପକାଇ ଡାକ ।

ଗଗନେ ତାରକା ରହିଲା ଚାହିଁ,

କି ଭାବ-ମଗନ ରହିଲା ମହୀ,

ଦୂର ମଫସଲେ ଶୁଭିଲା-‘‘ସହି,

ସାଥିକି ମିଳିଲା ଜଣେ ।’’

କେ କହେ - ‘‘ଗଛରେ ଫୁଟିଛି ଫୁଲ,

ସେ ଫୁଲ ହେବ କି ୟା ତୁଲେ ମୂଳ ?

ଭାତ ଲୁଣ ଦେଇ ଘରକୁ ଚାଲ

ଉଛୁର ହେଲାଣି ତେଣେ ।’’

ଦଦରା କୁଟୀରେ ଉଇଁଲା ଜହ୍ନ,

ଖୋଲିଦେଲେ ବୋହୂ ମୁଦାବଦନ

ମିଳି ସବୁ ବାଳା, ‘‘ଶୁଭାଗମନ

କଲ କି ?’’ କହିଲା କେହି,

କେ ଛୁଇଁ କହିଲା ଗଳାର ମାଳି -

‘‘ବେକଟାଯାକ ତ ପଡ଼ିଛି ଖାଲି’’,

ଆଉଁଶି କହେ କେ - ‘‘ଏ ମଲ୍ଲିକଢ଼ି

ଗଠନ ସୁନ୍ଦର ନାହିଁ ।’’

ଠାରି କେ ଆଖିରେ କହଇ ଠୁଳେ -

‘ତୁଚ୍ଛାରେ ଦେଖିଲେ ମନ କି ଭୁଲେ ?

ଗୁଡ଼ ହାତେ ଧରି ମରାଅ ଗାଲେ

ପୀରତି ମଧୁର ଜାଣି ।’’

ପଣତ ଓଟାରି ଦେଖେ କେ ବାହୁ,

ବିଦ, ବାଜୁବନ୍ଧ ପିନ୍ଧିଛି ବୋହୂ ।

ଆଉ କେ କହଇ - ‘‘ଏ ରାତି ପାହୁ

ଆଲୁଏ ଦେଖିବା ଆଣି ।’’

ମଝିରେ ଉଠି କେ କହିଲା ହସି -

‘‘ରୂପ ଦେଖି କି ଗୋ ନୋହୁଚ ତୋଷି ?

ତୁଚ୍ଛାରେ ଗଣୁଛ ଗହଣା ବସି,

ଗହଣା ମାରୁଚି ଲାଜେ ।

ରୂପରେ ଗହଣା ମଇଲା ଦିଶେ,

ଏକଥା କି ତୁମେ ଜାଣୁନ ଲେଶେ,

ଗୋଟା ଗହଣା ଏ ବୋହୂଟି କି ସେ

ଆମରି ଗାଆଁକୁ ସାଜେ ।’’

 

ଆଧୁନିକ –

 

ହାଇହିଲ୍‌ଜୋତା ଚରଣ ତଳେ,

ରାଶମୀ ଫୁଲରେ ବେଶୀ ତା ଦୋଳେ,

ଥରେ ଥରେ ତାର ଅଧର ତଳେ

ବଚନ ଉଠଇ ଫୁଟି,

ନୟନ ଶୋଭେ ନା କଜଳ ଗାରେ,

ହୁଗୁଳା ବଳୟ କର ଯୁଗଳେ

ବାଜେ ଝୁମୁଝୁମୁ ବଦନ ପରେ

ବିଜୁଳି ଖେଳଇ ଛୁଟି ।

ମନେ ପଡ଼େ ତାର ସାଥିଗହଣ -

ମିସ୍‌ଲିଲି, ଲୀଳା, ମନମୋହନ,

କାହିଁ ତା କଟକ, କାହିଁ ଏ ଘର,

କାହିଁ ସେ ସିନେମା ତଳ,

କାହିଁ ପ୍ରଦେଷର ମଧୁର ରାସ;

ମହାନଦୀ କୂଳ-ବିହାର-ରସ,

ଜୀବନେ ଆଜି ଏ ନବ ପରାସ

କରେ ତାକୁ ହରହର !

ପଡ଼ିଲା ଚହଳ, ଉଠିଲା ରୋଳ,

ବାଜିଲା ମହୁରି ଥରକୁ ଥର,

କାନେ ଖିଟିଖିଟି ଲାଗିଲା ତାର,

ସ୍ମରିଲା ସିତାର, ବୀଣା;

ଆସି ଗୋଟି ଗୋଟି ପୁରକୁମାରୀ

ହେଲେ ଉଭା, କହି, ନୟନେ ଠାରି -,

‘‘ଏତେ ପାଠ ବୋହୂ ପଢ଼ିଚି ବୋଲି

କାହାକୁ ଥିଲା ଲୋ ଜଣା ?’’

ଲଜ୍ଜା ଫୁଟଇ ଅଧର କୋଣେ;

ବଢ଼ାଇବ କର ଭାବେ ବା ମନେ,

‘ସେକ୍‌ହାଣ୍ତ୍‌’ କିଏ କରି କି ଜାଣେ ?

ପୋଛିଲା ରୁମାଲେ ମୁଖ;

ଚରମ ନ ପଡ଼େ ସଜରେ ତାର,

ଅଜଣା ଦୁଆର, ଅଜଣା ଘର,

ନାହାନ୍ତି ପରାଣ-ପ୍ରଣୟ-ଚୋର

ଦେଖେ ସେ ବଙ୍କାଇ ବେକ !

ନବ ପୁରବାଳା ସଖୀ ନବୀନା

ହାସ ପରିହାସ ରସମଗନା,

ଘେରି ଚାରିପାଖେ ଘନ-ଜଘନା

ଚମକି ରହିଲେ ଉଭା ।

ବସିଲା ସେକାଳେ ନାରୀ ସମିତି

ହେଲା ମୁଖରିତ ଚାନ୍ଦିନୀ ରାତି,

ପ୍ରତି ମନ ତଳ ପ୍ରଣୟବତି

ଉଜଳି ଉଠିଲା ଅବା !

କେ କହେ ରୋଷେଇ ନ କରେ ଜାଣି,

ଟାଣି ପାରେ ନାହିଁ କୂଅରୁ ପାଣି ,

‘ରାନ୍ଧୁଣୀ’ ବହିକୁ ପାଖରେ ଘେନି

ମସଲା ଦିଅଇ ବୋହୂ;

ଚଉକି ନ ଥିଲେ ନ ପାରେ ବସି,

ଶିଳିପାକୁ ଧରି ନ ପାରେ କଷି,

ସାଇବ ରାନ୍ଧଣା କିଏ ସେ ବସି

ଖାଇବ, ଏ ଘରେ ରହୁ ।

 

ଚାଉଳ

 

ନୀଳାକାଶ ତଳେ ଚଳା ମେଘ-ମେଳେ

ଚଳେ ବ୍ୟୋମତରୀ କ୍ଷଣକୁ କ୍ଷଣ,

ଦୂର ରଣଭୂଇଁ ଚମକି ଉଠଇ

ବୋମା ବରଷଇ ଅନଳ-ବାଣ ।

ମରୁ ପାଲଟଇ ରୁଧିର ସାଗର,

ଘନ ବନ ତଳେ ଅନଳ ଜଳେ,

ଏ କାଳେ କି ଲାଗି ହେ ଚାଉଳ ମୋର

ପକାଅ ଚହଳ ଉଦରତଳେ ?

ଅଜଣା କୁଟୀରେ ଛାର ଢିଙ୍କିଶାଳେ

ତବ ଜନ୍ମ ସିନା ଜାଣନ୍ତି ଜନ

ଆଜି ତୁମ ଲାଗି ସାରା ଓଡ଼ିଶାର

ପଡ଼ିଛି ଚହଲି ଧନ-ଜୀବନ ।

ଥାନ ଥିଲା ତବ ଉଦରେ ଉଦରେ,

ଆଜି ମୁଖେ ମୁଖେ ଉଠିଛି କଥା,

ଆଜି ‘ଗଜପତି’ ଉଡ଼ିଚାଲିଛନ୍ତି

ଦୂର ଇନ୍ଦ୍ରପ୍ରସ୍ଥେ ଘେନି ବାରତା ।

 

ଆଜି ପ୍ରାଣ ଝୁରେ ତୁମରି ଚିନ୍ତାରେ,

ବଜାରେ ଉଠିଛି ତୁମରି ରୋଳ,

ଏ ଘୋର ସମରେ ସାହା ସିନା ତୁମେ

ଅସ୍ତ୍ର ଧରିବାକୁ ଆହେ ଚାଉଳ !

ଉଆସ ବିହାରେ ପଲାଉ ତୁମେଟି;

ଦରିଦ୍ର କୁଟୀରେ ପଖାଳ ଭାତ;

ଭିକାରି ଥାଳର ମୁଠିକ ଚାଉଳ;

ଦେବପୂଜା ପୀଠେ ପୁଣ୍ୟ ଅକ୍ଷତ ।

ଖଜାପିଠା ଯେତେ ଏ ଦୀନ ଦେଶର,

ଯେବା ଭୋଜିଭାତ ବିଲାସ ଖେଳ;

ସବୁଥିରେ ତୁମେ ଶୁଭ କାମଧେନୁ,

ତୁମ ବିନେ ପ୍ରାଣ କି କଲବଲ !

ମୁଖେ ତୁମେ ବାଣୀ, ନୟନେ ଚାହାଣି,

ଅଧରେ ପୀୟୁଷ, ଅନ୍ତରେ ବଳ -

ସବୁ ଆଜି ଭାଜି ପଡ଼ୁଛି ବନ୍ଧୁ ହେ

ମଉଳିଗଲାଣି ଚିତ୍ତ-ମୁକୁଳ ।

ବାଲେଶ୍ୱରେ ଆଜି ଡାକୁଚି ବାଟୋଇ,

ଡାକୁଚି ପୋଲୋରେ କୁଟାରବାସୀ

ପଲ୍ଲିପଡ଼ା ତଳେ ଲୁହ ବସି ଢାଳେ

ପଲ୍ଲି-ସୀମନ୍ତିନୀ ଉପାସେ ବସି ।

ଅବୁଝା ଭାଷାରେ ଶିଶୁ ଡାକିମରେ,

ଦିଅଁ ତେଜି ଭକ୍ତ ତୁମକୁ ଭଜେ,

ରଣଭୂମିତଳ କୋଳାହଳୁ ବଳି

ଉଦର-ସମର ବିଷମ ଏ ଯେ !

 

ଦାନ୍ତ ଓ ପ୍ରେମ

 

ଦିନେ ସ୍ନିଗ୍‌ଧ ସନ୍ଧ୍ୟାଗମେ ବସି ଭାବୁ ଭାବୁ,

ପ୍ରଣୟର ଚିତ୍ରପଟେ ଚିନ୍ତାମଣିବାବୁ;

ଦେଖିଲେ ମାନସନେତ୍ରେ ଆସି ଉଭାହେଲା

ସୁହାସିନୀ କୁନ୍ଦଦନ୍ତୀ ଶ୍ରୀମତୀ ବେହେଲା ।

ଭୂଷିତ ଯୁଗଳ ବାହୁ ବର୍ତ୍ତୁଳ ବଳୟେ

ହଲିଲେ କନକ ଚୁଡ଼ି ସତେ କଥା କହେ !

ଲମ୍ବିତ କବରୀ ଛୁଏଁ ତଳେ ପଦ୍ମପାଦ

ନାହିଁ ସେ ବଦନେ ଦୁଃଖ ଚିନ୍ତା ଅବସାଦ !

ସୁଗଠିତ ତନୁ, ଲୀଳା-କ୍ଷେତ୍ର ଯୌବନର

ସବୁଠୁ ବଳିଚି ଦନ୍ତରୁଚି ମନୋହର ।

ସେ ହସରେ ଶଶିଜ୍ୟୋତ୍ସ୍ନା; କୁନ୍ଦକଳି-ଶିରୀ

ମଉଳି ପଡୁଛି ସତେ ନିଶି ପଦ୍ମ ସରି ।

ଶ୍ରୀମତୀ ବେହେଲା ଚିନ୍ତାମଣି ଚିତ୍ତପଟେ

ସେଦିନ ଦିନାନ୍ତେ କେତେମନ୍ତେ ପରକଟେ !

ଶିଶିର ସାୟାହ୍ନେ ଥରେ ବନ୍ଧୁ ସମାଗମେ

ମିଳିଥିଲା ଚାରିଚକ୍ଷୁ ପ୍ରୀତି ଆଳାପନେ ।

ଗହନ ସେ ପ୍ରୀତି କଥା, ହସିଲା ବେହେଲା;

ହସି ନ ପାରିଲେ ଚିନ୍ତାମଣି, ଏ କି ହେଲା !

ବୟସ ଯାଇନି ଖସି, ଲୁଚିନାହିଁ ଶିରୀ,

ହେଲେଟି କାହାର ଶାପେ ଦଶନମଣ୍ତଳୀ ।

ଅକାଳେ ଯାଇଚି ଖସି, ପୀରତି ପଧରେ

ନ ହସି ଚାହିଁଲେ ଖାଲି ନେତ୍ରେ ଥରେ ଥରେ ।

ସେଇ କଥା ଆଜି ଖାଲି ଘାରୁଚି ମରମେ-

ବେହେଲା କି କରେ ପ୍ରୀତି ଦନ୍ତହୀନଜନେ !

ଗଲା କିଛି ଦିନ ବିତି ବାବୁ ଚିନ୍ତାମଣି

ଆଣିଲେ ୟାଁ ଚୁଁ - ଦୋକାନରୁ ନିଜେ କିଣି,

ଦି’ପାଟି କୁନ୍ଦେନ୍ଦୁ ଶୁଭ୍ରଦନ୍ତ ମନୋରମ;

ହସିଲେ ହସାଇ ଦେବ ବିରହିଣୀ ମନ !

ବାବୁ ଚିନ୍ତାମଣି, ପୁଣି ଶ୍ରୀମତୀ ବେହେଲା-

କେତେ ବାର ବନ୍ଧୁ ସମାଗମେ ଦେଖାହେଲା ।

ହସିଲେ ବେହେଲା ତହୁଁ ବଳି ହସି ଉଠେ

ଫୁଟାଇ ଦଶନ ଚିନ୍ତାମଣି ଓଷ୍ଠପୁଟେ ।

ବହୁଥିଲା ମୃଦୁ ମନ୍ଦ ମଳୟ ସମୀର

ସନ୍ଧ୍ୟା ପରିଭ୍ରମଣରେ ଚଳାଇ ମୋଟର

ଗଲେ ଦିନେ ଚିନ୍ତାମଣି, ବେହେଲା ରୂପସୀ

ପାଖେ ବସି କହୁଥିଲା କଥା ହସି ହସି ।

ଦୁଷ୍ମନ୍ତ ଓ ଶକୁନ୍ତଳା ମଣୁଥିଲେ ମନେ

ଏକା ହସ ଫୁଟୁ ଥିଲା ଯୁଗଲା ଯୁଗଳ ବଦନେ ।

ଏକେ ଆନେ ପୁଚ୍ଛାପୁଚ୍ଛି ହେଲେ କେତେ କଥା,

ଭୁଲିଗଲେ ଏ ମରତ ଚଳନ୍ତି ବାରତା ।

ଭୁଲିଗଲେ - ଯାଉ ଚନ୍ତି ଦୂରେ ଯାନ ବାହି

ଏକ ଆନ ପରେ ଢଳି କଥା କହି କହି ।

ଅତର୍କିତେ ଯାନ ଖାଲେ ପଡ଼ିଲା କଚାଡ଼ି,

ଦେଖିଲେ ଏ ଦୃଶ୍ୟ ବସାଫେରନ୍ତା ବିକାଳି ।

ଚାହୁଁ ଚିନ୍ତାମଣି ତଳୁ ଗୋଟାଇ କାତରେ

ଭରିଲେ ଆପଣା ମୁଖେ କିବା ତରତରେ ?

ହାୟ ଭଗବାନ ! ଦାନ୍ତ ନ ଧଇଲା ପାଟି;

ଚାହିଁଲେ ବେହେଲା ମୁଖେ ଲଜ୍ଜାରେ ଲେଉଟି !

ଏ କି ଦୃଶ୍ୟ ! ସେ ଶ୍ରୀମତୀ ସଲଜ୍ଜ ପଲକେ

କିବା ଭରି ତୁଣ୍ତେ, ଚାହିଁ ଚିନ୍ତାମଣି ମୁଖେ

କହିଲେ - ‘‘ନକଲି ଦନ୍ତ ବୟସ ଖସନ୍ତେ

ଲଗାଇ ମୁଁ ଥିଲି, ଆଜି ନ ହେଲା କେମନ୍ତେ ?’’

‘‘ଗଲା କି ବଦଳି !’ କହି ଚିନ୍ତାମଣିବାବୁ-

କହିଲେ - ‘ତୁମର ମୋର ପ୍ରୀତି କଥାସବୁ

ଖାଲି ଏ ଜାଣିଲା ଦାନ୍ତ, ନ କହିବ କା’ରେ

ଆମ ଦାନ୍ତ ସାକ୍ଷୀ ଆମ ପ୍ରୀତି-କାରବାରେ ।

 

ରାମ + ଅୟନ = ରାମାୟଣ

ପ୍ରଥମ କାଣ୍ତ

 

ନାଆଁ ତାର ଇଙ୍ଗିତା, କଲେଜ ଗଳି

ବନ୍ଧୁ ମୋ ଭଇରବ, ସେ ତାର ଶାଳୀ ।

ପିନ୍ଧେ ସେ ତିନି ଥର ତିନିଟି ଶାଢ଼ି

ପାଇନି ତା ଇଙ୍ଗିତ,ଶୁଣିଲି ଖାଲି ।

ତନୁ ତାର ସୁବଳିତ, ବଦନ- ଶଶୀ

ସୁଚକିତ କରେ ଚିତ୍ତ ଉଠିଲେ ହସି ।

 

ଦ୍ୱିତୀୟ କାଣ୍ତ

 

ସେ ଦିନ ଧରଣୀପରେ ମୁଗ୍‌ଧା ରାତି -

ସିନେମା ଫାଟକେ ଗଲା ଚମକି ଛାତି !

ତା ଆଡ଼ଚାହାଣି ତଳେ ଲାଖିଲା ମନ

କଣ୍ଟକମୟ ହେଲା ବସିବା ଥାନ ।

ଦର୍ଶନ ହେଲା ସିନା, ଆଳାପ ନାହିଁ

ସୁପ୍ତି ଓ ଜାଗରଣ ତାହାରି ପାଇଁ !

 

ତୃତୀୟ କାଣ୍ତ

 

ପ୍ରଥମେ ତା ସମାଗମ ମିଟିଂ-ହଲେ

ନାରୀ-ସେବା-ସଦନର ମୁକ୍ତ କୋଳେ ।

ବକ୍ତୃତା ଶୁଣି ତାର କହିଲି- ‘‘ଅୟି,

ଇଙ୍ଗିତା ! ପାର ତୁମେ ବେଶ୍‌ତ କହି !’’

ନ ହସି ହସିଲା ସେହୁ, ନ କହି କହି

ମଣିଲି ମୁଁ - ହେଲି ତହିଁ ବିଶ୍ୱଜୟୀ ।

 

ଚତୁର୍ଥ କାଣ୍ତ

 

ସେଦିନୁ କଲେଜ-ଗଳଯାତ୍ରୀ ଜଣେ

ଇଙ୍ଗିତା ଘର ପାଖ ପାନ-ଦୋକାନେ ।

କାପଷ୍ଟେନ୍‌ସିଗାରେଟ୍‌ଧୂମ୍ରଜାଳେ

କାହାରେ ଖୋଜଇ ଖାଲି ମରମତଳେ ।

ସେଇ ମୁହଁ ପ୍ରେମପଥ- ଯାତ୍ରୀ ବୀର

କବିତାରେ ଦିଏ ଖାଲି ରୂପଟି ତାର ।

 

ପଞ୍ଚମ କାଣ୍ତ

 

ଦିନ ଗଲା - ବୈଶାଖ - ମାସଟା ଗଲା

ଇଙ୍ଗିତା ହେଲା ମୋର ପ୍ରୀତି -ପସରା ।

ତନୁ ତାର ହେଲା ମୋର ନେତ୍ର-କାରା

ସିନେମାରେ ବେଳେବେଳେ ପଡ଼ିଲୁ ଧରା !

ଧରଣୀ ଗଗନ ସବୁ ଦିଶିଲା ଏକା

ନଦୀକୂଳ ବିହରଣ ବାଲୁକା ରେଖା ।

 

ଷଷ୍ଠ କାଣ୍ତ

 

ଭରିଲା ପକେଟ ଦିନେ ଶୂନ୍ୟତାରେ

କୁଞ୍ଚିତ ହେଲା ଭାଲ ଚିନ୍ତାଗାରେ ।

ବଜାର ସଉଦା ହେଲା ବେଜାଏ ବାକି

ଗାଆଁରୁ ଆସିଲା ଚିଠି ଛ’ଥର ଡାକି ।

ଅଦ୍‌ଭୁତ ପଢ଼ିଲି କି ପ୍ରଣୟ ପାଠ ?

ମଣିଲି ନିଜକୁ ଖାଲି ଶୁଖିଲା କାଠ ।

 

ସପ୍ତମ କାଣ୍ତ

 

ସେଦିନ ହେଲାଣି ଏବେ ବରଷ କେତେ

ଗଲାଣି କେତେ ବା କାହିଁ ଏ କାଳସ୍ରୋତେ ।

ଲିଭିଆସେ ସ୍ମୃତିପଟୁ କଲେଜ ଗଳି

କାପ୍‌ଷ୍ଟେନ୍‌ସିଗାରେଟ ଧୂଆଁଟା ପାରି ।

ବଧୂ ହୋଇ ଛାଡ଼ିଲା ସେ କଟକ ଜିଲା

ଶୁଣିଲି ତାହାର ଏବେ ଗୋଟିଏ ପିଲା ।

 

ରୋଷେଇ ସଂକଟ

 

କେ ରାନ୍ଧିବ ଘରେ ବସି - କହେ ପଦ୍ମାବତୀ

ପାଠ ପଢ଼ି କଲେଜରେ ହେଲି ଗୁଣବତୀ ।

କପାଳେ ମୋ ଥିଲା ଲେଖା - ଧରି ସ୍ୱାମୀ ହାତ

ଛାଡ଼ି ନାଚି -ଖେଳ ରାନ୍ଧିବାକୁ ଡାଲି-ଭାତ !

ହାଣ୍ତିଶାଳ ! ଲାଗେ ଘୃଣା !! ପୋଡ଼ପାଡ଼ ଚୁଲି;

ବଂଶୀ, କ୍ଳାରୋନେଟ ଛାଡ଼ି ଫୁଙ୍କି ଫୁଙ୍କି ମଲି ।

ସୃଷ୍ଟିଉଡ଼ା କେ ଦେବତା ରଚିଲା ଅଙ୍ଗାର

ହାତ କଳା, ଲୁଗା କଳା, କଳା ହାଣ୍ତିଶାଳ ।

ମୁଁ କି ପାରେ ଏ ବେପାରେ ! ଲୁଣ ଦେଲେ ଦିନେ

ଆରଦିନ ଅଲଣାରେ କି ବୋଲଣା ଶୁଣେ !

ଆଜି ଦରସିଝା ହେଲା, କାଲି ଗଲା ପୋଡ଼ି-

ପରାଣର ପ୍ରିୟତମ ଦେଲେ ମୁହଁ ମୋଡ଼ି ।

ପାରିହେବା ପାଇଁ ଏଇ ବିପଦସାଗରେ

ସଂପାଦିଲି ସୁହାସିନୀ ଦାସୀଟିଏ ଘରେ ।

 

ଫଳିଲା ଓଲଟ ଫଳ - ରାନ୍ଧିଲା ସେ ଭାତ ,

ଘରର ମୁରବି କିନ୍ତୁ ହେଲେ ଅଣାୟତ୍ତ ।

ସେ ବିପଦୁ ହେଲା ଏବେ ଏ ବିପତ୍ତି ବଡ଼,

ବହିଲା ନୟନୁ ମୋର ଲୁହ ଝରଝର ।

ବରଜି ତାହାରେ ଘରେ ଆଣିଲି ଆଦରି

ଗଳିତଦଶନା ଏକ ବୃଦ୍ଧା ସହଚରୀ ।

ନ ପୂରୁଣୁ ସାତ ଘରେ ହେଲା ଗୋଲ -

ହଜିଲା ସେମିଜ୍‌, କିଏ ନେଲା ଗଳାହାର ।

ନିତି ଚୋରି, ବୋଲାବୋଲି, ବିଗିଡ଼ିଲା ତୁଣ୍ତ

ସାଇପଡ଼ିଶାର ଲୋକ ଘରେ ହେଲେ ରୁଣ୍ତ ।

ଦାସୀ ଗଲା, ଆସିଲା ସେ ପୂଜାରୀଟି କାହୁଁ

ବିଡ଼ି, ସିଗାରେଟେ ଘର ପୂର୍ଣ୍ଣ ଚାହୁଁ ଚାହୁଁ ।

ସହି ନ ପାରି ତା ଜାଳା ଦେଲି ଛାଡ଼ ତାରେ;

ଅଣ୍ଟା ଭିଡ଼ି ପଶିଲା ମୁଁ ପୁଣି ହାଣ୍ତିଶାଳେ !!

 

ଦୁଇଟି କିଶୋରୀ

 

ଏକ ଥାନେ ଥିଲେ ଦୁଇଟି କିଶୋରୀ -

ଦୁଇଟି ଯମାଜ କନ୍ୟା,

ଗୋଟିକର ନାଁ କୁମାରୀ ପୁଣ୍ୟା,

ଆରଟିର ନାଁ ବନ୍ୟା ।

ଏକଇ ବୃନ୍ତେ ଯୁଗଳ କୁସୁମ

ଫୁଟିଲେ ଏକଇ ସଙ୍ଗେ

ଏକ ପାଠଶାଳେ ପାଠ ପଢ଼ାପଢ଼ି

ପିଲାଦିନ ପ୍ରୀତିରଙ୍ଗେ ।

ଯୁଗଳ ଜୀବନ ହେଲା ବିଚ୍ଛିନ୍ନ,

ବୟସ ଆସିଲା ଜୁଆରେ,

ପୁଣ୍ୟା ଚାଲିଲା ଯେ ଗତିପଥରେ

ବନ୍ୟା ନ ମାନେ ତାହାରେ ।

ବନ୍ୟା ଲୋଡ଼ିଲେ ବସନ ଫେସନ

ଯିବ ରାଜପଥେ ହଲାଇ,

ଲଜ୍ଜାଋଣରେ କରି ମୁଖ ନତ

ପୁଣ୍ୟା ଯେ ଯାଏ ପଳାଇ !

 

ପୁଣ୍ୟା କହିଲେ ‘‘ପାଠ ପଢ଼ିଥାଇ

ଘରକୁ କରିବା ସ୍ୱର୍ଗ,’’

‘‘ଘର ଘର ମିଶି;’’ କହଇ ବନ୍ୟା

‘‘ସବୁ ଆମ ସଖାବର୍ଗ ।’’

‘‘ମନ୍ଦିରେ ଯିବା,’’       କହଇ ପୁଣ୍ୟା

‘‘ବନ୍ଦନା ବେଳ ହେଲାଣି,’’

ବନ୍ୟା କହଇ ‘‘ଆଜି ବେଳ ନାଇଁ

ସଖାଜନେ ନେବେ ମେଲାଣି ।’’

‘‘ପ୍ରଥମାଷ୍ଟମୀ କାଲିକି ହେବ ଲୋ,’’

ପୁଣ୍ୟା ପୁଲକେ କହିଲେ,

ବନ୍ୟା କହଇ ‘‘କାହିଁ ନ ଯାଇ ମୁଁ

ସିନେମାକୁ ଯିବି ପହିଲେ ।’’

 

ବିଦାୟରେ ପ୍ରଣୟ

 

ଲାଗିଲା ବିଦାୟ ସଭା, ପଡ଼ିଲା ଚହଳ !

କିଏ ଦେବ ଅଧ୍ୟାପକ ଗଲେ ଫୁଲମାଳ ?

ପୁଲକିତ ଗୀତାମୋଦେ ଅଧ୍ୟାପନା ପୁରୀ

ଶତ ନେତ୍ରେ ଭକ୍ତି-ଅଶ୍ରୁ ପଡ଼ି ଉଛୁଳି ।

ଉଚ୍ଛ୍ୱସିତ ଭାବାବେଗ,ମରମେ ମରମେ

ଫୁଟା ପଦ୍ମପାଖୁଡ଼ାରେ ସଉରଭ ଜମେ !!

କହିଲା କେ ସୁହାସିନୀ - ଯିବେ ଗୁରୁଦେବ,

କିଏ ଜାଣିଥିଲା ଏଡ଼େ ବେଗେ ଏହା ହେବ ?

ଆରକ୍ତ ଅଧରେ କେହୁ କହିଲା କା’ କାନେ -

ମନ ମୋର ଯାହା ହୁଏ ମୁହିଁ ସିନା ଜାଣେ ?

ବିଦାୟ-ସଂଗୀତୁ କେ’ବା ତୋଳି ଦୁଇ ପଦ

କହିଲା, ଏ ହେଲା ଜାଣ ଜୀବନ-ସଂପଦ ।

ଯେତେ ଦୂରେ ଥିଲେ ଦେବେ ନଦେବ ବିସୋରି

ତୁମ ସ୍ମୃତିପଟୁ ଏ ଯେ କିଶୋର କିଶୋରୀ ?

ଶ୍ୟାମ ବପୁ, ସୁଶୋଭିତ ଶୁଭ୍ର ପରିଚ୍ଛଦେ

କହିଲେ ସେ ଗୁରୁଦେବ ରହି ପଦେ ପଦେ ।

‘‘ତନୁ ଯାଏ ଦୂରେ, ମନ ଏଇ ନିକେତନେ

ଏଇ ସମୀରଣେ ମିଶି ରହିଲା ଗୋପନେ !’’

ଏଇ ବାଣୀ ଶୁଣାଇବ କା’ରେ ସିନା ଭାବ

ମିଶିଥିବ ସେ ଭାବରେ ତୁମରି ଅଭାବ ।

ତୁମରି ସହାସ୍ୟ ମୁଖ, ତୁମ ଉଦ୍ଦୀପନା;

ତୁମରି କୈାତୁକ ହାସ, ସଭକ୍ତି ବନ୍ଦନା ।

ଖଣ୍ଡଗିରି ଶିଳାବୁକେ ଲେଖା ହେଲା ଜାଣ

ଯୁଗ-ଯୁଗ-ଧରି ତାହା କରିବ ପ୍ରମାଣ ।

ଥିଲେ ଏଠି ଅଧ୍ୟାପକ, କିଶୋର କିଶୋରୀ

ପୂଜୁଥିଲେ ଅନ୍ତେବାସୀ ବାଣୀ ବାଗୀଶ୍ୱରୀ ।

ବିଦାୟର ମାଲ୍ୟ କେହୁ ଦେବ ଗୁରୁ ଗଳେ ?

ଏକୁ ଆନେ ଚାହାଁଚାହିଁ ହେଲେ ସେ ଗହଳେ ।

ସୁବାସିତ କର୍ପୂରର ମାଲ୍ୟ ମନୋହର,

ମିଶିଛି ତା ତୁଲେ ଚମ୍ପା କୋରକ ରୁଚିର ।

କନକିତ ଜରି ଦାମେ ଗୁନ୍ଥା କଉଶଳେ

କିଏ ଦେବ ସେ ମାଳାଟି ଅଧ୍ୟାପକ ଗଳେ ?

 

କିଏ ଭାଗ୍ୟବାନ ଅବା କିଏ ଭାଗ୍ୟବତୀ

ଜଣାଇବ ଗୁରୁ ପଦେ ଗୈାରବେ ପ୍ରଣତି !

ଏକାଳେ ଉଠିଲେ ଧୀରେ କିଶୋରୀ ନୀଳିମା

ଛୁଇଁଛି କବରୀଦାମ ବ୍ୟାପୀ ପୃଷ୍ଠସୀମା ।

ଆୟତ ଲୋଚନଯୁଗେ ଲଜ୍ଜା ଅଛି ମିଶି,

ନ କହିଲେ କଥା ତହୁଁ ବୁଝାପଡ଼େ ବେଶି ।

ନ ହସିଲେ ହସିବାର ବାରିହୁଏ ରେଖା

କିଶୋରୀ ମହଲେ ଡ଼ାକନାମ ‘ଚିତ୍ରଲେଖା’ ।

ଧଇଲା ସେ ଫୁଲମାଳ, ଫୁଲ ଗଲା ଲସି,

ଦଶଟି ଅଙ୍ଗୁଳି ଚମ୍ପା କୋରକକୁ ହସି -

ସେ ମାଳାର ହେଲେ ମାଳା, ପାଦ ଚାଳି ଧୀରେ

ଉଭାହେଲା ଅଧ୍ୟାପକ ଗଳା ପ୍ରତୀକ୍ଷାରେ ।

କରତାଳି ତାଳେ ହେଲା ମୁଖରିତ ପୁର ।

ଅର୍ଦ୍ଧାନତା ଗଳେ ଚିତ୍ରଲେଖା ଦେଇ ମାଳ,

ନ ହସି ସେ ହସି, କଥା ନ କହି ସେ କହି

ପାଦେ ଘୁଞ୍ଚି ପ୍ରଣମିଲା ପଦାଙ୍ଗୁଳେ ଚାହିଁ ।

 

 

ଫେରି ବାସେ ଚିତ୍ରଲେଖା ଶୁଣିଲା, କେ ହସି

କହିଲା ମଧୁର ଭାଷେ ତା ଗଣ୍ଡ ପରଶି ।

କୁମାରୀ ତୁ, ଫୁଲମାଳା ଦେଲୁ ଆନ ଗଳେ

ଦେଇଥିଲେ ଦେଇଥାନ୍ତୁ ସ୍ୱୟଂବର ବେଳେ ।

ବୁଝି ନ ବୁଝିଲା ଭଳି ଗଲା ସେ ପଳାଇ

ସେ ଦିନ ବିଦାୟ-ଗୀତ ଗୁଣୁଗୁଣୁ ଗାଇ ।

ଫେରିଲେ ବିଦାୟ ଘେନି ଅଧ୍ୟାପକମଣି

ରହିଲା ମାନସପଟେ ମାଳା ଓ ଚାହାଣି ।

ବିଦାୟରେ ଲେଖି ହେଲା ମିଳନର ଆଶା

ମୈାନ ମୁଖୁ କଳପିଲେ କେତେମନ୍ତେ ଭାଷା ।

କିଛିଦିନ ଅନ୍ତେ - ଦିନେ ବାସର ମିଳନେ

ବାସି ଫୁଲମାଳା ଏକ କାଢ଼ି ସଯତନେ

କହିଲେ - ‘‘ପଡ଼ିଛି ଏଥି ମୋ ଜୀବନରେଖା -

ମୁହିଁ ଅଧ୍ୟାପକ, ତୁମେ ମୋର ଚିତ୍ରଲେଖା !’’

 

ପ୍ରଣୟ-ସ୍ୱାଧୀନତା

 

କାହାରେ ଭଜିବି ? କିଏ ଦବ ଗଳେ ବରଣମାଳା ?

ମଞ୍ଜରୀ, ଶୁଭା, ଲିଲି, ଲାବଣ୍ୟ, ନୀହାରବାଳା,

ନନ୍ଦିନୀ, ମୀନା, ମାଳିନୀ, ଦୀପ୍ତି - କା’କର ଧରି

ଉଦ୍‌ବେଳ ଏଇ ପ୍ରେମ-ପାରାବାର ହୋଇବି ପାରି ?

ମଞ୍ଜରୀ ! ସେ ଯେ କୁଞ୍ଜର-ଗତି, ମାନସୀ ମୋର;

ଚିତ୍ତ ବଳଇ ହେବାକୁ ତାହାର ପରାଣ-ଚୋର ।

ଲବଣି-ମାର୍କା, ସୁଝୀନ-ବସନା, ପଲ୍ଲବିନୀ,

ହସ ଖିଲିଖିଲି, ଦଶନ କାନ୍ତି ସଫେତ ଚିନି !

ତନୁ ତାର ଘନ ଭାଦ୍ର ମାସର ! - ହାଲୁକା ଅତି ,

ଏ ବୀର କବିର ବାହୁ ପରଶିଲେ ଥରିବ ଛାତି !

ଲୋଡ଼ାନାଇଁ ତାରେ ବରିବି ‘ଶୁଭା’ରେ ବିଚାରେ ମନେ;

ଅତି ‘ମଡ଼ର୍ଣ୍ଣ’ ! ସଂଚାରିଣୀ ସେ ସିନେମା-ବନେ ।

ବେଶ୍‌ଚଟାପଟ୍‌ବଚନ ବିନ୍ଧେ ସମୟ ଜାଣି,

କରିପାରେ ତାର ଦରଦୀ କବି ଏ ଗ୍ରହଣ ପାଣି !

ହେଲେ; ଖାଲି ତାର ବର୍ଣ୍ଣଟା ଲାଗେ ଖଟକା ଚିତ୍ତେ

ଏ କଳାବଜାରେ ଦେଖି କାଳୀ-ବାଳୀ ମନଟା ତୁଟେ !

ଛାଡ଼ି ମୁଁ ‘ଶୁଭା’ରେ ‘ଲିଲି’ ଲଭିବାରେ ବଳାଇ ମନ

ରାଜରାସ୍ତାରେ ବାଇକ୍‌ପଛରେ ସତର ଦିନ

କଲେଜ ଛକରେ ଛାଡ଼ିଦେଇ ତା’ରେ ଆସିଚି ଫେରି,

ଫେରି ଚାହେଁ ଥରେ ମାନସ-ମୁକୁରେ ପାଗଳ ପରି,-

ଓଠ କମ୍ପନ, ଭୂରୁ ଛନଛନ, ମରାଳ ଗତି;

କେବଳ ତାହାର ଆରୂଢ଼ ଦଶନ ବିନ୍ଧେ ଅତି !

ରଚିବ କବିତା ହସ ଦେଖି କବି ! ବିଚାରେ ମନେ

ହୋଇପାରିବନି କୋକିଳ ତ ‘ଶୁଭା’ କବିତା-ବନେ !

ଛାଡ଼ି ତା’ ଆଶାରେ, କବି ତା ଭାଷାରେ ଡ଼ାକିଲା ଦିନେ

ଅୟି ଲାବଣ୍ୟେ ଡ଼େପୁଟୀ କନ୍ୟେ ! ଧ୍ୱନିଲା କାନେ

ରସ ଢ଼ଳଢ଼ଳ ବଚନ ମଧୁର ପଡ଼ିଲା ଝରି

ଲାଜ ଛଳଛଳ ଲୋଚନ ଯୁଗଳ ଆନତ କରି ।

ବଦନ-ପଦ୍ମେ ଭ୍ରମର ସମ ମୁଁ ବନ୍ଦି ନୋହି

ଦେଖିଲି ପୃଷ୍ଠେ କଟୀ-ଚୁମ୍ବିତ କବରୀ ନାଇଁ !

ଫୁଟେ କି କବିତା କୁନ୍ତଳ ବିନା ? ଚମକିପଡ଼ି

‘ନୀହାରବାଳା’ର ଫଣୀ-ବେଣୀ ପଛେ ଧାଇଁଲା ଖାଲି ।

ବିପୁଳ ପୁଲକ ବେପଥୁ ଭଙ୍ଗୀ - ତନ୍ୱୀ ରାଣୀ

ଭାବିଥିଲି ମୋରେ ମୁଗ୍‌ଧ କରିବ ନିତମ୍ବିନୀ ।

ଚମକି ହଟିଲି ତା କର ପରଶ କଠୋର ଜାଣି

ତରୁଣ କବିରେ ଅନ୍ଧ କରିଲୋ କେ ‘ନନ୍ଦିନୀ’ ।

ନନ୍ଦିନୀ ! ଚିର ନନ୍ଦିନୀ !! ବୋଲି ଧାଇଁଲି ପଛେ

ହାୟ ! ତାର ସେଇ ପୃଥୁଳ କଟୀ କି କବିତା ରଚେ ?

କେଶରୀମଧ୍ୟା, ବିମ୍ବ-ଅଧରା ଲୋଡ଼ା ଯେ ମୋର !

‘ନନ୍ଦିନୀ’ ଏଡ଼ି ହୋଇଲି ‘ମୀନା’ର ପ୍ରଣୟେ ଭୋଳ ।

ନୃତ୍ୟକୁଶଳା ହାୟ, ସେଇ ମୀନା ଲାସ୍ୟମୟୀ,

କଜ୍ଜ୍ୱଳ କଳା କବରୀ ତାହାର ଲମ୍ବ ନାଇଁ !

କଲି ରିଜେକ୍‌ଟ, ନହେଲା ପାକ୍‌ଟ ପୀରତି ବାଟେ,

ଗାଇପାରେ ନାହିଁ କାଠଯୋଡ଼ୀ କୂଳ ବିଜନ ଘାଟେ ।

କାହାରେ ଲୋଡ଼ିବି? କିଏ ଦେବ ଗଳେ ବରଣମାଳା ?

ପ୍ରଣୟ-ବଜାରେ ବାଛି ବାଛି ଖାଲି ବୟସ ଗଲା ।

ଆସିବେ ଆହୁରି ମାଳିନୀ, ମୁରଜା, ଦୀପ୍ତି ସଖୀ -

ଏ ଗୀତ ପରଶେ ‘‘ଭଣ୍ଡ ଗୋପାଳ’’ ପୀରତି ଚାଖି ।

 

ଦ୍ୱନ୍ଦ ସମାସ

(ଶ୍ୟାମା ଓ ସୀମା = ଶ୍ୟାମାସୀମା)

 

‘ଶ୍ୟାମା’ର ନାମ କିଏ ନ ଜାଣେ ?

ବାଇକ୍‌ପାରେ ଚଢି,

ବଜାରେ ଯେତେ ନଭେଲ୍‌ମିଳେ

ସାରିଛି ସବୁ ପଢି ।

ଗାଇ ସେ ପାରେ ସଭାରେ ଗୀତ

କହି ସେ ପାରେ ହସି;

ଲପନେ ତାର ଲିପ୍ତ ସଦା

ସ୍ନିଗ୍‌ଧ କ୍ରିମ୍‌ମସୀ ।

ଚାଲିଲେ ତାର ଅଞ୍ଚଳରେ

ସମୀରେ ଖାଲି ଥରେ,

ଲୋଚନ ତାର କି ଚଞ୍ଚଳ

ବଚନ କହିପାରେ !

ନାଆଁ ତା’ ‘ସୀମା’ ଭଗିନୀ ତାର

ବୟସେ ଅତି ସାନ,

କଥା - କଥାକେ କରେ ସେ ଖାଲି

ଦାରୁଣ ଅଭିମାନ ।

ତରଳ ତାର ବଚନ, ହାସ,

ଚରଣ ତଳ ଗତି,

ସଭା ସମିତି ସଂଘେ ନିତି

ସମୟ ଯାଏ ବିତି ।

ଚାରିଟି ଆଖି ଦୁଇ ଚଷମା

ବଦନେ ସମାବେଶ

ଦୁଇ ଭଗିନୀ ସମାନ ବେଣୀ,

ସମାନ ବେଶବାସ ।

ଭ୍ରମଣେ ଗଲେ ଭଗିନୀ ‘ଶ୍ୟାମା’;

‘ସୀମା’ ତା ତୁଲେ ଚାଲେ,

ସଂଗିନୀ ବା ସଙ୍ଗୀ ମେଳେ

ଧୂମ୍ର ସଞ୍ଜବେଳେ ।

ଯେ ପରିହାସ ଆଳାପ, ହାସ

‘ଶ୍ୟାମା’ର ମୁଖୁ ଉଠେ,

ନିଉନ ଲବେ ନୁହେଁ ତା କେବେ

‘ସୀମା’ର ଓଷ୍ଠ ପୁଟେ ।

ଉଠିଲା ଦିନେ ଦୁଇ ଭଗିନୀ

ମରମ-ପାରାବାରେ,

ଏକଇ ‘ଶଶି’ ଆକର୍ଷଣ-

ଲହରୀ ମାଳେ ମାଳେ !

ନାଆଁ ତା ‘ଶଶି’ ହସାଇ, ହସି

ଭସାଇଦିଏ ମନ,

କଲେଜ-ବାସେ କରିଚି ସାତ

ବରଷ ସମାପନ ।

ଶୁଭ୍ର ବେଶ କୃଷ୍ଟ କେଶ,

ବାଇକ୍‌ସଦା ଚଢ଼େ,

ଧୂମ୍ର ଜାଲ ସୃଷ୍ଟି କରେ

କୁଞ୍ଚିତ ଅଧରେ ।

ସଂଧ୍ୟା ନିତି ଧନ୍ୟ ହୁଏ

ତାହାରି ବେହରଣେ

ସିନେମା ତଳେ ତଟିନୀ ଧାରେ,

ବିଜନ ଆଳାପନେ ।

ସେ ଦିନ ଥିଲା ଡ଼ିସେମ୍ବର,

ସେଦିନ ଥିଲା ଶୀତ;

ମରମ ତଳ ଗରମେ ହେଲା

ଶୀତ ଯେ ପରାଜିତ !

ସେ ପରିଚିତ ‘ଶଶି’ରେ ହେରି

ରହିଲା ‘ସୀମା’ ଦୂରେ

‘ସୀମା’ରେ ଏଡ଼ି ଚାହିଁଲା ଶଶି

ଶ୍ୟାମାର କୃଷ୍ଣ ଚୂଳେ ।

ଲଘିଂ ଦେଲା ‘ସୀମା’ରେ ଶଶି !

‘ଶ୍ୟାମା’ରେ ଦେଲା ଆଖି,

ଭାବିଲା ‘ସୀମା’ ଦେଖିବା ଦେଖି

କିମିତି ଯିବେ ଲାଖି ?

ସେଦିନ ସଜ ପ୍ରଦୋଷ ବେଳା-

କଣ୍ଟ କଲା ଶଶି,

ଶ୍ୟାମା ଓ ସୀମା ଦରଜା ପଥେ

ଯିବ ସେ ପରବେଶି ।

ଜାଣିବ ନାଇଁ ସୀମା ତା କଥା,

ଜାଣିବେ ନାଇଁ ଆନ,

କେବଳ ଜାଣି ପାରିଲା ସୀମା

କଥାର ଅୁନମାନ ।

ମାରିବ ‘ସିଟି’ ଦରଜା ଫିଟି

ହୋଇବେ ଦୁହେଁ କଥା

ଶ୍ୟାମା ଓ ସୀମା ପରାଣେ ଏ ଯେ

ପ୍ରେମର ବିଚିତ୍ରତା !

ସେ ଘରେ ଥିଲା କୁକୁର ପୋଷା

ନାଆଁଟି ତାର ‘ସୁସୁ’

ଚମକି ଧାଏଁ ଦେଖିଲେ ଆନ

ଦୁଆରେ ପଶୁ ପଶୁ ।

ଦରଜା ପଥେ ଦୁଷ୍ଟା ସୀମା

ସେ ଦିନ ଧରି ତାରେ,

କହିଲା - ତୁ’ରେ ଘଉଡ଼ିନେବୁ

ଦେଖିବ ଯା’ରେ ଦୂରେ ।

ତରୁଣ ଶଶି ସ୍ମରଣ କରି

ଶ୍ୟାମାରେ ମନେ ମନେ

ମାଇଲା ସିଟି ଦରଜା ଫିଟି

ଭୀଷଣ ଗରଜନେ

ଧାଇଁଲା ସୁସୁ ଭ୍ରାନ୍ତ ସମ

ଧାଇଁଲା ଶଶି ଦୂରେ,

‘‘ହେ ଶଶି ବାବୁ’’       ବାରଣ୍ଡାରେ

ଡ଼ାକଇ ‘ସୀମା’ ଧୀରେ ।

କହିଲା ଶ୍ୟାମା ‘‘ଦୁଷ୍ଟା ତୁ ଲୋ ।’’

କହିଲା ସୀମା - ‘‘ଅପା’’

ଜାଣିଚୁ ଯେବେ କିଏ ଏ ଚୋର

କହିଦେବୁଟି ସଫା ।

ମୋହରି ଚୋର ତୋହରି ଚୋର

ସବୁରି ଚୋର ସେହି,

ଦେଖିଲେ କାଲି ନଈକୂଳରେ

କହିଦେଟି ମୁହିଁ ।’’

 

ମୁଁ କିମିତି ପଢ଼ିବି ?

(ଅନୁବାଦ)

 

ଏ ଘରେ ଝୁଲେ ସେମିଜ୍‌, ସାୟା,

ସେ ଘରେ କା’ର ବେଣୀ

ଆହା, କିମିତି ପଢା ଚଳେ !

ଏ ପାଖେ ହସେ ମାନିନୀ, ମାୟା,

ସେ ପାଖେ ରାଧାରାଣୀ,

ମୁଁ ତ, ଦଉଡ଼ି ଦେବି ଗଳେ !

ଝରକା ପାଶେ ଚାହାଣି ଜଳେ

କାମନା-ଭରା ସେ ତ,

ଏଡିକି ପାରେ ତା’ରେ ?

ଟରଣା-ଶାଢ଼ି, କୁଜଳ-କେଶ

ଚଳାଏ ମୃଦୁ ବାତ,

ମରମ ମୋର ଥରେ ।

ପଡ଼ିଚି ଶେଯ, ବହି-ସମାଜ

ରହିଛି ବୁକ ମେଲି,

ନୟନେ ନାହିଁ ଦିଶେ,

କବୀର, ଚୁଡ଼ି, କୁସୁମ ସାଜ

ଭିତରେ ଝିଲିମିଲି

ଚମକ ଚିତ୍ତେ ପଶେ ।

ଦି’ଥର ଫେଲ୍‌, ଏଥର ଆଉ

ପାସ୍‌ର ଆଶା ନାହିଁ

ଖାଲି ସେ ମରୀଚିକା

ଆଗେ ଓ ପଛେ ଯୁଗଳ ବାହୁ

କାହାର ଏ ଥରଇ,

ହେଲିକି ସତେ ବିକା !

ଏ ଛାତେ ଲୟ, ସେ ଛାତେ ଲୟ-

ଫାଟି ମୋ ଯାଏ ଛାତି

ଆହା, କିମିତି ପଢ଼ା ଚଳେ ?

ଦିବସ ହେଲା ତନ୍ଦ୍ରାମୟ,

ବେଦନାମୟ ରାତି,

ମୁଁ ତ, ଦଉଡ଼ି ଦେବି ଗଳେ !

ଥରଇ ଗଳା; ଚହଲେ କେଶ,

ଚମକେ ସେ ଚାହାଣି,

ଆହା, କିମିତି ପଢ଼ା ଚଳେ ?

ଚାହିଁଲେ ଏଣେ ବିଚାରେ ଦୋଷ,

ସେ ଘରେ ଚାହେଁ ପୁଣି

ସେ ଘରେ ନିଆଁ ଜଳେ !

କିଶୋରୀ, ବାଳା ନଗର ଭରି

ଶାଳିକାମୟ ରୀତି,

ମରମ ଯାଏ ଦବି

ଯୁଆଡ଼େ ଗଲେ ଉଡ଼ଇ ଶାଢ଼ି,

ଦମକି ଉୁଠେ ଛାତି,

ନ ପାରେ କିଛି ଭାବି !

ପ୍ରଭୁ ହେ ! ଯଦି ଦେଇଛ ଛାତ,

ସେ ଛାତେ ଏତେ ବେଶି

କାହିଁକି ଦେଲ ଶାଢ଼ି;

ଯଦି ବା ତୁମେ ଗଢ଼ିଲ ନାଥ,

ଗୁଡ଼ାଏ ଖାଲି ନାରୀ;ୟ

ନ କଲ କିଆଁ ଜାଡ଼ୀ !

ନ କଲ କିଆଁ ନାରୀକୁ ତୁମେ

ପୁରୁଷ ପରି ବୋକା,

ନ ଦେଇ ମୋଟା ଗଳା,

କରିଲ କିଆଁ ପାଲିସ୍‌ଚମେ,

ଚାହାଣୀ ଦେଲ ବଙ୍କା

ଅଧରେ ସୁଧାଭରା !

 

ମର୍କଟ ଅପମାନ

 

ଘେନ ସମବେଦନାର ଚିଠି ଏଇ ମୋର

ହେ ମର୍କଟ କୁଳବାଳା ତରୁ-ବିହାରିଣୀ,

ତୁମରି ପାଇଁକି ଆଜି ଲାଟସଭା ଘର

ଲଜ୍ଜାରେ ପଡୁଛି ସଢ଼ି କରି ବେମଇନି ।

ନାରୀ ମୂଲ୍ୟ ବୁଝେ ନାହିଁ ନର ଜାଣି ଜାଣି

ନିଜ ମାନଦଣ୍ଡେ ପରା ତୁଳିଚି ତୁମକୁ,

ଲାଟସଭା ଘରେ ଏ ଯେ ପୁରୁଷ ବାହିନୀ

ସେ ମଧ୍ୟ ଦୁଇଟି ନାରୀ, ଫାଟିଯାଏ ବୁକୁ !

ମଣି ମୂଲ୍ୟ କାହୁଁ ଅବା ବୁଝିବ ଶବର,

ନାରୀ ମୂଲ୍ୟ ବୁଝେ ନଇଁ ଆମ ସରକାର,

ବଞ୍ଚିବାରେ କିଏ ସିନା ଦିଏ ଅଧିକାର

ମରିବାରେ ଅପମାନ ଏତେ ହତାଦର !

ଥାଉ ଥାଉ ଦେଶେ ବନ୍ୟା, ଜର; ମହାମାରୀ

ଯକ୍ଷ୍ମା, ମାଲେରିଆ, କାଛୁ, କମ୍ରେଡ଼ କାମଳ

କି ଲାଗି ତୁମକୁ ମାଡ଼ ହେ ମର୍କଟ ନାରୀ

ଡାଳେ ଡାଳେ କୁଞ୍ଜେ କୁଞ୍ଜେ ପ୍ରତିବାଦ କର ।

କର ପ୍ରତିବାଦ ସତୀ ପତି-ଶୋକତୁରା

ଦୂର ଗ୍ରାମାଞ୍ଚଳ ରବି ଫସଲ ମଣ୍ଡପେ,

‘ଡାଇରେକ୍‌ଟର ଆକ୍‌ସନ’ ଆଗୋ କର ଜାରି ତ୍ୱରା,

ପୂରୁ ବନ ଉପବନ ତୁମରି ବିଳାପେ ।

ଦର ତ ବଢ଼ିଲା ଧାନ, ଚାହା, ସିଗାରେଟେ

ବଢ଼ିଲା ତ ମନ୍ତ୍ରୀ ଦର, ମେମ୍ୱର-ଭାତିଆ

ତୁମ ଲାଗି ନ ବଢ଼ିବ କିଆଁ ବା ଟଙ୍କାଟେ

ଜଗତର ନାରୀରାଜ୍ୟେ ଅପମାନ ଏୟା !

ଗଢ଼ି ନାରୀ ସେବାସଙ୍ଘ ଅଞ୍ଜନା ମହିଳା

ମହିଳା ଆଶ୍ରମ ଖୋଲି କର ଆନ୍ଦୋଳନ,

ଏ ପାତ୍ର-ଅନ୍ତର ଭାବ ଯେ ମନ୍ତ୍ରୀ ବିହିଲା

କର ତାର ବଗିଚାରେ ବୈଷ୍ଣବୀ କୀର୍ତ୍ତନ !

 

ନଗରୀ-ନାରୀ

 

ଦୁଇଟି ଚପଳ ଆଖ ତହିଁ ଚଷମା ଏକ,

ଗୋଟିଏ ଅଧର ଜବା ତଳେ ମୁକୁଳା ବେକ,

ଦୁଇଟି ଚରଣ ଖାଲି ବହେ ରଙ୍ଗିନୀ ଚଟି,

ଖଣ୍ଡିଏ ମୁକୁର ସମ ଛୋଟ ଝରଣା ଶାଟୀ,

ଦୁଇଟି ମୃଣାଳ ବାହୁ ଅଧା ବସନହୀନ

ଏକଇ ରେଶମୀ ବେଣୀ ହରେ ବାଟୋଇ ମନ,

ଏ ସବୁ ମିଶିଲେ ହେବ ଏକ ନଭଗରୀ ନାରୀ

ପୀରତି-ଅକୂଳ-ସିନ୍ଧୁ ହେବ ସହଜେ ପରି ।

 

ଆଗାମୀ ନାରୀ

 

ବରଚି ତୁମର ପ୍ରମୋଦ-ତରଣୀ

ଆଗୋ ନାରି, ମଗୋ ନାରି !

ହେଲା ଏ ପୁରୁଷ ଯୁଗ -ଯୁଗ ଧରି

ପ୍ରେମ-ପାରାବାର ପାରି ।

ତୁମରି ଅଧର-ମଧୁରେ ହୋଇଲା

ଭ୍ରମର ସେ କାଳ କାଳ,

ବକ୍ଷେ ଉଠାଇ ଝଞ୍ଜା ତୁମର,

ନେତ୍ରେ ବନ୍ୟା ଜଳ !!

ଆଉ ଏତେବେଳେ ଲୋଡ଼ କାହିଁପାଇଁ

ପ୍ରମୋଦୋଦ୍ୟାନ, ଦେବି,

ଅଣ୍ଟିଲା ନାଇଁ ଯୁଗ-ଯୁଗ ହେଲା

ପୁରୁଷ ଚରଣ ସେବି ?

ଅୟି ଲାବଣ୍ୟେ, ଓଡ଼ିଶୀ କନ୍ୟେ,

ମିସ୍‌, ଦେବୀ, ବାଳା, ଦେଈ

ଇଙ୍ଗିତ ତବ ଆବୃତ କର

ଦୀର୍ଘ ବସନ ଦେଇ ।

କଥା ଅଛି ପରା ପୁରୁଷ ବିଚାର

ଭଗବାନ କରେ ଆନ

ମହତାବ କହେ - ସେ କଥା ହେଲାଣି

କାଲିଠାରୁ ପୁରାତନ ।

ପୁରୁଷ ବିଚାରେ, ନାରୀ ଥାଇ ଘରେ

ଓଲଟପାଲଟ କରେ

ନାରୀ ପୁରୁଷର ସମର ସଜ୍ଜା

ଏଇ ଲାଗିଲାଣି ଦୂରେ ।

ତୁମେ ନାରୀ ଫେସ୍‌ପାଉଡରମୟୀ

ସୁପରଫାଇନ୍‌ବତୀ

ନବନୀତ ତନୁ କର ଗୋ କଠିନ,

ନିର୍ମମ କର ଛାତି ।

ଅୟି ଲାବଣ୍ୟେ, ଓଡ଼ିଶୀ କନ୍ୟେ-

ମିସ୍‌, ବାଳା, ବେବୀ, ଦେଈ

ଇଙ୍ଗିତ ତବ ଆବୃତ କର

ଦୀର୍ଘ ବସନ ଦେଇ ।

ନିନ୍ଦିତ କରଘର ପରିବାର,

ବନ୍ଦୀନୀ କାଳ କାଳ

ତୁମରି ପ୍ରମୋଦେ ଉଦ୍ୟାନ ହେଉ

ସନ୍ତାନ ପାଳିବାର ।

ପାଳି ଗୁହାଳରେ ପୁରୁଷ-ପଶୁରେ,

ଚାଷ କର, ଚାଷ କର

ପ୍ରମୋଦୋଦ୍ୟାନ ଛାଡ଼ି ଏତେବେଳେ

ତୁମେ ଖାଲି ପାଶ୍‌କର ।

ଚଢ଼ ସାଇକେଲ, ଧର ଗୋ ମୋଟର;

ଉଡ଼ାଅ ଗଗନ .ତରୀ

ସାର୍ଥକ କର ସ୍ୱାଧୀନ ଭାରାତ,

ମର୍ତ୍ତ୍ୟର ଅପସରୀ ।

ଅୟି ଲାବଣ୍ୟେ, ଓଡ଼ିଶୀ କନ୍ୟେ-

ମିସ୍‌,ବାଳା,ଦେବୀ, ଦେଈ

ଇଙ୍ଗିତ ତବ ଆବୃତ କର

ଦୀର୍ଘ ବସନ ଦେଇ ।

 

ସହର ଓ ମଫସଲ

ସହର-

ଶେଯରୁ ନ ଉଠୁଁ ଚା’କପେ ଦେଇ

ଆଲୋ ମାଆ, ଯାହା କରିବୁ ପଛେ

କହିଦେଇଥାଆ ପୂଜାରୀ ଟୋକାକୁ

ରାତି ନ ପାଉଣୁ ଡାକିବ ମତେ,

କହିଆସିଥିଲି ବୀରେନ୍‌ଭାଇରେ

ସାଢ଼େସାତଟୋରେ ବଜାରୁ ଫେରି

ଆଣତିବାକୁ ଗୋଟେ ଫେସ୍‌ପାଉଡର

ଆଣିଲା କି ନାହିଁ ? ହେଲାଣି ଡେରି ।

କାଲି ହେବ ମାଆ ‘ଭେରାଇଟ୍‌’ ନାଟ

ପୁରୁଣା ଶାଢ଼ିରେ ନଯିବି ଦେଖି;

ଚାରିଟାରେ ଅଛି ଶ୍ୟାମ ଭାଇ ଘରେ

ଟି ପାର୍ଟି, କିଏ ଆସିବ ଡାକି ।

କ୍ୟାନ୍‌ସେଲ୍‌କଲି ଚୁଡ଼ିର ବରାଦ,

ଶାଢ଼ି, ଜୋତା ମୋର ଜରୁର୍‌ଲୋଡ଼ା,

କାଲି ଅଛି ପରା ଫୁଟବଲ୍‌ମ୍ୟାଚ-

‘ମେଡିକାଲ୍‌’ ତୁଲେ ‘ଅଗରପଡ଼ା’ ।

 

ମଫସଲ-

 

ରାତି ଥାଉ ମୋତେ ଉଠାଇଦେବୁ ଲୋ,

ଡାକିବେ ମାଳତୀ, ଶୋଭା, ସୁଷମା,

ଆନ୍ଧାର ଥାଉଁ ମୁଁ ଫୁଲପାଇଁ ଯିବି

ଆର ସାଇପିଲେ ହୋଇବେ ଜମା ।

କାଲି ଗୁରୁବାର ଘର ଲିପାପୋଛା,

ବେଳ ହେବ ନାଇଁ ପାହିଲେ ରାତି,

ବାଟିବ ପିଠଉ, ଝୋଟି ଦେବାପାଇଁ

ଗାଧୋଇ ବସିବି ପରିବା କାଟି ।

ହଳଦୀ ବାଟିନି ବାସି ହେବ ବୋଲି ,

ବାଟିବାକୁ କାଲି ଲାଗିବ ବେଳ,

ଉଠୁ ଉଠୁ କୁନି କରିବ ଚହଳ

ଗାଧୋଇଦେବାକୁ ଲଗାଇ ତେଲ ।

ବାସିଲୁଗା ଧୋଇ ଖରାରେ ଶୁଖାଇ

ବସି ଚୁଲିମୁଣ୍ଡେ କରିଲେ ସଜ,

କାଲି ଗୁରୁବାର ସୁଦଶା ବ୍ରତ ଲୋ,

ହେବ ରାତି ପାଉ ଛାଡ଼ିଲେ ଶେଯ ।

 

ସାମାଜିକ ନୂଆବୋହୂ

 

ଅତି ସଯତନ ବସନ ଭୂଷଣ,

ବଚନ ନ କହି ଠାରେ

ପିଲାଏ କହନ୍ତି ଡକାଡକି ହୋଇ

‘ନୂଆବୋହୂ’ ବୋଲି ତା’ରେ ।

ପଣତ ଓଟାରୀ ଓଗଲି ସେ ହୁଏ

ଗୁରୁଜନ ପାଦ ଛୁଇଁ,

ହସୁଥିଲେ କେବେ ହସୁଥିବ

ଘର ଉଢ଼ାଳେ ଚନ୍ଦ୍ରମୁହୀଁ ।

ପରକୁ ମଣିବ ଆପଣାର ବୋଲି,

ପର ଘର ନିଜ ଘର,

ପରମ ଭାଗ୍ୟ ବୋଲନ୍ତି ୟାକୁଇ

ପରା ନାରୀ-ଜୀବନର !

ପରିଚିତ ତାର ବିଲ, ପଦାମାଳ;

ପଛରେ ପକାଇ ଦେଇ

ଆନ ଏ ଧରଣୀ ଧୂଳି, ମାଟି, ଜଳ

କରେ ଆପଣାର ନେଇ ।

କେବେ ସେ ଉଠାଏ ଲଜ୍ଜାରୁଣରେ

ପଲକ ସଜନୀ ମେଳେ

ବିଲୋକି ଚକିତେ କେବେ ବାସେ କହେ

ସଂଗୋପନରେ ଥରେ ।

ନଉଠୁ ଆକାଶେ ରବି, ସେ ଶଯ୍ୟା

ତେଜି ହୁଏ ତରତର,

ଶାଶୁ ଡାକିଦେବ, କିଏସେ ସେ ଲାଗି

ଶୁଣିବ, ତା ବଡ଼ ଡର ।

ଘର ସେ ଓଳାଏ; ଚରଣ ଚଳାଏ

ମରାଳ ଚାଲିଲା ପରି

ଶିଶିର ଉଷାରେ, ବରଷା ସକାଳେ

କିଛି ନ ବିଚାର କରି ।

ବାସନ ମାଜଇ, ରଖେ ସେ ସଜାଇ

ଆପଣାର କରି ସବୁ,

ଲକ୍ଷ୍ମୀ ସେ ଅବା, ତା ପରି ଲକ୍ଷ୍ମୀ,

ଯେ ଅବା ଯେପରି ଭାବୁ ।

ନିଠୁର ଚାହାଣି, ନିର୍ଦ୍ଦୟ ବାଣୀ

ସବୁଥିକି ହୁଏ ସଜ

ସକଳ ପଛରେ ଆପଣାକୁ ରଖି

ଘେନେ ପତି-ପଦରଜ !

 

ଆଧୁନିକ ଗୋପୀଭାଷା

 

ଜୟ ଜୟ ପୋଲିସ ଦଣ୍ଡପାଣି

ନାଲି ପଗଡ଼ିକି କିଏ ନ ଜାଣି !

ମୁଁ ଯେ ସେହିଠାରେ ମନ ନିବେଶି

‘ଗୋପୀଭାଷା’ ଗାଇବାକୁ ଭରସି ।

କୁରୁକ୍ଷେତ୍ର ଯେଉଁ ଯୁଦ୍ଧ ହୋଇଲା

କୃଷ୍ଣ ଯୋଗୁଁ କୁରୁ ନାମ ରହିଲା,

କଳି କାଳେ ସେହି ହେଲେ ପୁଲିସି

ସତ୍ୟ-ଶାନ୍ତିର ସେ ହାତବାରିସି ।

ଦିନେ ବାରବାଟୀ ପୁରେ ପାର୍ବତୀ

ଗୋପୀମାନଙ୍କର କଥା ଭାଳନ୍ତି -

କୃଷ୍ଣେ ଗଲେ କେବେ ଗସ୍ତ-ପ୍ରୋଗ୍ରାମେ

ଗୋପୀ ଭାଳେ ଘରେ ଓଦା ନୟନେ ।

କୃଷ୍ଣ ଗଲେ କରି ସତ୍ୟ ତଦନ୍ତ

ଭାଳେ ଗୋପୀ ଘରେ ହୋଇ ତଦ୍‌ଗତ ।

କୃଷ୍ଣ ବାସକତା କାହିଁ ରହିଲେ

ଗୋପୀ ଚିନ୍ତା ହୁଏ କୃଷ୍ଣେ ପହିଲେ ।

ଏବେ କଳିକାଳେ ଶୁଣ ସେ କଥା

ସେ ପୁଲିସି, ସେହି ଗୋପୀବାରତା ।

ଦିନେ ଦଶ ପାଞ୍ଚ କୃଷ୍ଣ-ପ୍ରେୟସୀ

କାହା ଘରେ ବସି ମନ ନିବେଶି,

ଏକୁ ଆନେ ଯାହା କଥା କହିଲେ

ଦାସ ଦନାଇ ତା ଗୀତେ ଭଣିଲେ -

ଏକ ଗୋପୀ ମନୋ ଦୁଃଖେ କହିଲା -

ତାଙ୍କ ବିନୁ ଘର ମୋର ନୋହିଲା ।

ଆଜି ହିନ୍ଦୋଳକୁ କାଲି ତିର୍ତ୍ତୋଲ

ପରଦିନେ କରାପୁଟେ ବଦଳ ।

ମୁଁ ଗୋ ଅଭାଗିନୀ ଏକା ରହିଲି

ଭାଳି ଭାଳି ହୃଦ-ବନ ଦିହିଲି ।

ଦିନେ ନ ଖାଇ ମୁଁ ରାତି ନ ଶୋଇ

ନେଲି ଯୁବାକାଳ ଦୁଃଖେ କଟେଇ ।

ଏକ ଗୋପୟେ କହିଲା ସଂଗାତ,

ମୋର କୃଷ୍ଣ କଲେ ମୋତେ ଯେମନ୍ତ ।

ରାନ୍ଧିବାଢ଼ି ଦିନେ ଅଛି ଅନାଇ

ଆଉ ନ ଆସିଲେ କଳା କହ୍ନାଇ ।

ଏସ୍‌.ପି. ଡଗର ବରଗିଲା କାହଁ

ସାତ ଯୋଜନ ସେ ବାଟ ବଣାଇ ।

ପାଞ୍ଚ ଦିନେ ଚିଠି ଘରେ ବସିଲା

ସଜ ଶେଯ ମୋର ଲୁହେ ଭାସିଲା ।

ଆନ ଗୋପୀ କେ ବୋଇଲା ମିତଣି;

ମୋର ମନକଥା କିଏ ନ ଜାଣି ।

ପାଣି ଶୀତଳ ଗୋ ରାତିବେଳରେ

ଫୁଲ ସୁନ୍ଦର ବୟସ ଥିବାରେ ।

ସବୁ ଥାଇ ମୋର କିଛି ନ ହେଲି

ଭଡ଼ାଘର ବିନା ଏକା ରହିଳି

ଦୁଃଖ କି କହିବି, ସମବୟସୀ !

ଶହେ ଦରମାକୁ ଭଡ଼ା ଚାଲିଶି !!

ହେଲେ ବି ସେଥିରେ ନ ତୁଟେ ଆଶ

ଟଙ୍କା ମିଳୁ ମିଳୁ ଗଡ଼େ ଛ’ମାସ

ଘରବାଲା କରେ ଦୁଆରେ ନାଟ

ଦେଖି ମୁଁ କରଇ ଆଡ଼ କବାଟ ।

ମନୋଦୁଃଖେ କେଉଁ ଗୋପୀ ବୋଇଲା

କି କଥା କହିବି ଆଗୋ ଛଇଳା ?

ମାସକଯାକ ସେ ହୁଅନ୍ତି ବ୍ୟସ୍ତ

ଜଗି ଜଗି ଖାଲି ମନ୍ତ୍ରୀଙ୍କ ଗସ୍ତ ।

ନାହିଁ ଖିଆପିଆ, ନ ଥାଏ ଶୁଆ

ତରତର ହୋଇ ଦରଗାଧୁଆ

ବସନ୍ତି ନାହିଁ ସେ ଶୁଅନ୍ତି ନାହିଁ

ମୋଭଳି ଅଭାଗୀ କିଏ ସେ କାହିଁ ।

କିଏ ଗୋପୀ କହେ, ମିତଣି ଶୁଣ,

ଆଜିକି ହେଲାଣି ନ’ କୋଡ଼ି ୠଣ ।

ତେର ମାସ ତଳ ବଦଳିଭତ୍ତା

କେବେ ଯେ ମିଳିବ କରନ୍ତି ଚିନ୍ତା ।

କାନକୁ ଦୋଦୁଲ, ନାକକୁ ଚଣା

କିଣିସାରି ଏବେ ହୋଇଚି ବଣା ।

କିଏ କହେ ଆହା ! ପୁଲିସି ବଡ଼

ଯେଡ଼ିକି ବାଉଁଶ ସେଡ଼ିକି ପୋଲ ।

ଶୁଣି ଗୋପୀ କିଏ କହେ ସହି ଗୋ,

ଲାଭ କିବା ମୋର କଥା କହି ଗୋ ?

ଦିନେ ଯାହା କଲେ - ଦିନ ଦଶଟା

ଫିଙ୍ଗିଦେଲା କୁନି କାଜଗ, ପଟା ।

କୁନି କଲମଟା ନେଲେ ସେ ଥରେ,

ରଡ଼ିକଲା କୁନି ବଡ଼ କାତରେ ।

କହିଲି ମୁଁ କେତେ ପଥ ଓଗାଳି -

ନେଲା ତା କଲମ, ବୁଝ ତା ଅଳି ।

ମୋତେ କହିଲେ ସେ ଭାଷା ନରମ -

ଅଫିସରେ ନାହିଁ କାଳି କଲମ ।

କିଭଳି କରିବି ‘ଡିଉଟି’ ବସି

ବୁଝିପାରୁଥିବ ସମବୟସୀ !

ଶୁଣି ଏ ସୋହଗ ହେଲି ମୁଁ ତୁନି -

କାନ୍ଦି କାନ୍ଦି ଶୋଇପଡ଼ିଲା କୁନି !!

ଆନ ଗୋପୀ ଥାଇ କହିଲା ମିତ,

ଯାହା କହିଲ ଗୋ ମଣୁଚି ସତ ।

ଦିନେ ବଡ଼ପୁଅ ଦୁଆତ ଧରି,

ଯାଇଥିଲେ ସେହୁ ବଡ଼ କଚିରି ।

ଘରେ ଖୋଜି ପୁଅ ରହିଲା ଥିରି

ଭାବିଲା କିଏ ସେ କରିଚି ଚୋରି ।

ଚୋର ଧରାଗଲା ରାତି ଦଶରେ

ଦୁଆତ ଧରି ସେ ଫେରନ୍ତେ ଘରେ ।

ଗୋପୀ କିଏ ତହୁଁ କହିଲା ଶୁଣ -

ଆମ ଘରଲୋକ ବିଚାରପଣ ।

ଦିନେ ମୋର ମୋଟା ଶାଢ଼ିକୁ ଧରି

ସୂତା କାଢ଼ୁଥିଲେ ଗୋଟା ଦି’ଚାରି ।

ପଚାରିଲି କିସ କରିବ ସୂତା ?

କହିଲେ - ବାନ୍ଧିବି ଫାଇଲି କିତା ।

ଅଫିସେ ମୋ ସୂତା ଦଉଡ଼ି ନାହିଁ,

କିଛି ବିଚରନା ଚନ୍ଦ୍ରମାମୁହିଁ !

ଗାଲେ ହାତ ଦେଇ ହୋଇଲି ଛିଡ଼ା -

ହାୟ ! ମୋ କପାଳେ ! ଫାଇଲି ବିଡ଼ା !!

ଦିନେ ମୋ ଅଳତା-ଚରଣେ ଚାହିଁ

ରହିଲେ ସେ ଠିଆ - କହିଲା କେହି -

ପଚାରିଲି - କିବା ବିଚାର କର ?

ଅଳତାଚରଣ ଦିଶେ ସୁନ୍ଦର ?

ହସି ସେ କହିଲେ ନିମିଷେ ରହି, -

ଅଫିସେ ନାହିଁ ଗୋ ନାଲିଆ ସ୍ୟାହି

ବିଚାରେ ଏଥିରୁ ନେବି କି, ଗୋରି,

ଅଳତା ବୋତଲ ବଢ଼ାଇ ଦେଲି !

କଥା ଶୁଣି ଶୁଣି କହେ କେ ବାଳା -

ଏତେ ଦୁଃଖ ମୋର କପାଳେ ଥିଲା ?

ରୂପ ଦେଖି ବାପା ଛନ୍ଦିଲେ କର

ଘର ଦେଖି ମାଆ କରିଲେ ବର !

ତାଙ୍କ ହଟାହଟା ଦେଖି ମୁଁ କାନ୍ଦେ

ଥରେ ବାସି ଖାଇ ଥରେ ମୁଁ ରାନ୍ଧେ ?

ଦିନେ ସେ ଆସିଲେ ଦିନେ ସେ ନାହିଁ,

ଫାଇଲି ଉପରେ ପଡ଼ନ୍ତି ଶୋଇ ।

ସବୁ ବାଳା ମିଳି ବିଚାର କଲେ -

‘‘ଏକର ଦୁଃଖ ତ ଆରକୁ ବଳେ ।

ଆମକୁ ଯେ ଦଶା ସଂସାରେ ହେଲା

ସେ ଦଶା ନ ଭୋଗୁଁ ଆନ କେ ବାଳା !

‘ଘର‘ ‘ବର’ ସ୍ତିରୀ ଜାତିର ଯାହା

ଶତକରା ଅଶୀ ନ ମିଳେ ଆହା ?

ଜଗତରେ ଯେତେ ଜାତିର ବର -

ଡେପୁଟି, ହାକିମ, ଇଞ୍ଚିନିୟର,

ଗ୍ରୋ ମୋର୍‌ଫୁଡ଼୍‌, ମାଙ୍କଡ଼ମରା,

ପଶୁ ଡାକତର, ବିଲୁଆଧରା,

ଫାଇଲିଭୂଷଣ କିରାଣି ଜାତି,

ଟି.ଏ.ଡି.ଏ. ଭିଡ଼ା ସବ୍‌ଡେପୁଟି,

କଲେଜପାଠୁଆ, ଅଧିଆପକ,

ଛୋଟ ବେତନିଆ ଗାଁ ଶିକ୍ଷକ,

ହୋଇକୋଟ ଜଜ, ଓକିଲକୁଳ,

ଦିନ-ମଜୁରିଆ ମିସ୍ତିର ଦଳ,

ଯୁବା ମୁନ୍‌ସଫ, ଯୋଗାଣ ବୀର

ଜଗତରେ ଯେତେ ଜାତିକା ବର -

ସବୁ ବରେ କେଉଁ ବରଟି ଭଲ

କିଏ ସେ କହିବ ଆମକୁ ବୋଲ !

ଗଲା ଏ ଜନମ, ଇମିତି ଯାଉ

ଭଲ ବର ଆର ଜନମେ ଥାଉ ।

 

***